ତେଲେଙ୍ଗାନା: ଆଜି ଭୋର ସମୟରେ ତେଲେଙ୍ଗାନାର ସୂର୍ଯ୍ୟପେଟ୍ ଜିଲ୍ଲାର କୋଡାଡ ମଣ୍ଡଳର ଦୋରାକୋଣ୍ଟା ନିକଟରେ ଥିବା ଏକ ଘରୋଇ ଟ୍ରାଭେଲ ବସ୍ କଣ୍ଟେନର ଲରି ସହିତ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲ ପଠାଇବା ସହ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସରେ ୪୩ ଜଣ ଯାତ୍ରୀ ଥିଲେ । ଘରୋଇ ବସ୍ ଟି ହାଇଦ୍ରାବାଦରୁ ଆନ୍ଧ୍ରପ୍ରଦେଶର ବିଜୟୱାଡା ଯାଉଥିବା ବେଳେ ଠିଆ ହୋଇଥିବା ଏକ କଣ୍ଟେନର ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ, ବସର ସାମ୍ନା ଭାଗ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ୬ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ୨୦ ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଥିଲାବେଳେ ଜଣେ ପୁରୁଷ ଥିଲେ ଏବଂ ୨୦ ଜଣ ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ପୋଲିସ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସୂର୍ଯ୍ୟପେଟ୍ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି। ଆହତମାନଙ୍କ ପାଇଁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ସୁନିଶ୍ଚିତ କରିବାକୁ ସେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ଅବସ୍ଥା ଉପରେ କଡ଼ା ନଜର ରଖିବାକୁ ମଧ୍ୟ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।