Spread the love

ନୂଆଦିଲ୍ଲୀ: ଜାପାନରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ହୋଇଛି । ଏହାର ଝଟକା ରାଜଧାନୀ ଟୋକିଓ ସମେତ ଇବାରାକି, ଚିବା ଓ ସାଇତାମାରେ ଅନୁଭୂତ ହୋଇଛି । ଭୂମିକମ୍ପର କେନ୍ଦ୍ର ଇବାରାକିର ଦକ୍ଷିଣ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୭୦ କିଲୋମିଟର ତଳେ ଥିଲା । ଭୂମିକମ୍ପ ପରେ ସୁନାମିର କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ଇବାରାକିରେ ଅତି କମରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି । ଆହୁରି କେତେ ଜଣ ଆହତ ହୋଇଛନ୍ତି, ସେନେଇ ଯାଞ୍ଚ ଚାଲିଛି ।

ଭୂମିକମ୍ପ ଯୋଗୁଁ ଟୋକିଓରୁ ନାରିତା ବିମାନବନ୍ଦର ମଧ୍ୟରେ ଚାଲୁଥିବା କିଛି ଏକ୍ସପ୍ରେସ୍ ଟ୍ରେନ୍ ଏବଂ ସ୍ଥାନୀୟ ଟ୍ରେନ୍ ଚଳାଚଳରେ ବିଳମ୍ବ ହୋଇଛି । ତେବେ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ସାଧାରଣ ଭାବେ ଚାଲୁଥିଲା । ଭୂମିକମ୍ପ ପରେ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସମ୍ଭାବ୍ୟ କ୍ଷୟକ୍ଷତିର ଆକଳନ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଲୋକଙ୍କ ମୋବାଇଲ୍ ଫୋନରେ ମଧ୍ୟ ଭୂମିକମ୍ପ ସମ୍ପର୍କିତ ଜରୁରୀକାଳୀନ ସତର୍କ ସୂଚନା ଆସିଥିଲା ।

ଏଥିସହ ଜାଣିରଖନ୍ତୁ ଯେ, ଭୂମିକମ୍ପ ଯୋଗୁଁ ଟୋକିଓର କୋଟୋ ଅଞ୍ଚଳରେ ଭୂତଳ ପାଣି ପାଇପ୍ ଫାଟିଯାଇଥିଲା । ଏଥିରୁ ରାସ୍ତାରେ ପାଣି ବୋହିଥିଲା । ଭୂମିକମ୍ପ ଯୋଗୁଁ ପ୍ରାୟ ୪୬୦ଟି ଘରର ବିଦ୍ୟୁତ୍ ସେବା ବନ୍ଦ ହୋଇଥିଲା । ତେବେ ରବିବାର ସକାଳ ସୁଦ୍ଧା ବିଦ୍ୟୁତ୍ ସେବା ପୁଣି ଚାଲୁ ହୋଇଥିଲା । ଜାପାନର ପରମାଣୁ ନିୟନ୍ତ୍ରଣ କର୍ତ୍ତୃପକ୍ଷ କହିଛନ୍ତି ଯେ ପରମାଣୁ ବିଦ୍ୟୁତ୍ କେନ୍ଦ୍ର ଏବଂ ପରମାଣୁ ସାମଗ୍ରୀ ରଖାଯାଉଥିବା ସ୍ଥାନଗୁଡ଼ିକରେ କୌଣସି ସମସ୍ୟା ହୋଇନାହିଁ ।

Leave a Reply

Your email address will not be published. Required fields are marked *