Spread the love

ଆନନ୍ଦପୁର: ଆନନ୍ଦପୁର ବ୍ୟାରେଜ୍ ଗେଟ୍ ପରିଚାଳନାରେ ଅନିୟମିତତା । ବିଦ୍ୟୁତ୍ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ । ବନ୍ୟା ବେଳେ ମନଇଚ୍ଛା ଗେଟ୍ ଖୋଲିବାକୁ ନେଇ ପ୍ରଶ୍ନ। ବନ୍ୟାର ପ୍ରକୋପ ଶୀର୍ଷରେ ଥିବା ବେଳେ ମନଇଚ୍ଛା ଖୋଲାଯାଉଛି ଆନନ୍ଦପୁର ବ୍ୟାରେଜ୍ ର ଗେଟ୍ । ବିଦ୍ୟୁତ୍ ଉତ୍ପାଦନ ପାଇଁ ହଠାତ୍ ପାଣି ଛାଡ଼ିବା ଯୋଗୁଁ ତଳମୁଣ୍ଡରେ ସୃଷ୍ଟି ହେଉଛି ଅନିୟନ୍ତ୍ରିତ ବନ୍ୟା ପରିସ୍ଥିତି । ଏଭଳି ଗୁରୁତର ଅଭିଯୋଗକୁ ନେଇ ବୈତରଣୀ ପାୱାର ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ (BPPL) ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଜଳସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ । ଅଗଷ୍ଟ ୧୭ ତାରିଖରେ ଇଞ୍ଜିନିୟର-ଇନ୍-ଚିଫ୍ ଦିଲ୍ଲୀପ କୁମାର ରାଉତ ସାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଛନ୍ତି। ଗେଟ୍ ପରିଚାଳନାରେ କମ୍ପାନୀର ‘ଦାୟିତ୍ୱହୀନ’ ଆଚରଣ ପାଇଁ BPPLକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। BPPL ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ପରିଚାଳନା କରୁଛି ।

ଚିଠିରେ ଥିବା ତଥ୍ୟ ଅନୁସାରେ, ପ୍ରବଳ ବନ୍ୟା ଓ ଆକସ୍ମିକ ବନ୍ୟା ସମୟରେ ମଧ୍ୟ ବିଦ୍ୟୁତ୍ ଉତ୍ପାଦନ ପାଇଁ କମ୍ପାନୀ ମନଇଚ୍ଛା ବ୍ୟାରେଜ୍ ଗେଟ୍ ଖୋଲୁଛି । ଫଳରେ ବ୍ୟାରେଜ୍ ରୁ ହଠାତ୍ ବହୁ ପରିମାଣର ଜଳ ତଳମୁଣ୍ଡକୁ ଛାଡ଼ି ଦିଆଯାଉଛି । ଏହା ତଳିଆ ଅଞ୍ଚଳରେ ଅଚାନକ ଓ ଅନିୟନ୍ତ୍ରିତ ବନ୍ୟାର କାରଣ ପାଲଟୁଥିବା ଇଆଇସିଙ୍କ ଚିଠିରେ ଉଲ୍ଲେଖ ରହିଛି । ଆଗକୁ ଯେପରି ଏଭଳି ସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଅତ୍ୟଧିକ ବନ୍ୟା ଆସିବାର ଆଶଙ୍କା ଥିଲେ ଯଥେଷ୍ଟ ଆଗରୁ ବ୍ୟାରେଜ୍ ର ଜଳସ୍ତର କମାଇବାକୁ କମ୍ପାନୀକୁ କୁହାଯିବ । ଏହାଦ୍ୱାରା ଅଧିକ ବନ୍ୟାଜଳ ଆସିଲେ ତାହାକୁ ନିୟନ୍ତ୍ରିତ ଭାବେ ପରିଚାଳନା କରି ତଳମୁଣ୍ଡ ଅଞ୍ଚଳକୁ ଜଳମଗ୍ନ ହେବାରୁ ରକ୍ଷା କରାଯାଇପାରିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଣିକି କମ୍ପାନୀ ନିଜ ଇଚ୍ଛାରେ ଗେଟ୍ ପରିଚାଳନା କରିପାରିବ ନାହିଁ। ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଗେଟ୍ ଖୋଲିବା ଓ ବନ୍ଦ କରିବାକୁ BPPLକୁ କଡ଼ା ନିର୍ଦ୍ଦେଶ ଦେବାକୁ କୁହାଯାଇଛି। ଇଞ୍ଜିନିୟର-ଇନ୍-ଚିଫ୍ ଙ୍କ ଏହି ଚିଠିର ନକଲ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବଙ୍କୁ ସୂଚନା ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି। ସେହିପରି କେନ୍ଦୁଝର ଜିଲ୍ଲାର ସିଙ୍ଗନାଳୀସ୍ଥିତ BPPLର ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠିର ନକଲ ପଠାଯାଇଛି।

Leave a Reply

Your email address will not be published. Required fields are marked *