Spread the love

ନୂଆଦିଲ୍ଲୀ: ଭାରତକୁ ପୁଣି ଆଖି ଦେଖାଇଲା ପାକିସ୍ତାନ|ପ୍ରଧାନମନ୍ତ୍ରୀ ଶାହବାଜଙ୍କ ମୁହଁରେ ଯୁଦ୍ଧ ଧମକ| ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ସନ୍ଧିକୁ ନେଇ ପୁଣିଥରେ ଉତ୍ତେଜନା ବଢ଼ିଛି। ପାକିସ୍ତାନର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଭାରତକୁ ଖୋଲାଖୋଲି ଧମକ ଦେଇଛନ୍ତି। ସିନ୍ଧୁ ନଦୀର ପାଣିର ଗୋଟିଏ ବୁନ୍ଦା ମଧ୍ୟ ପାକିସ୍ତାନ ପାଇଁ ‘ରେଡ୍ ଲାଇନ୍’ ବୋଲି କହିବା ସହ ଭାରତ ପାଣି ରୋକିଲେ ଏହାର ଜବାବ ଯୁଦ୍ଧ ମାଧ୍ୟମରେ ଦିଆଯିବ ବୋଲି ସେ ସିଧାସଳଖ ଚେତାବନୀ ଦେଇଛନ୍ତି।

ଶୁକ୍ରବାର ପାକିସ୍ତାନର ସ୍ବାଧୀନତା ଦିବସ ଅବସରରେ ଇସଲାମାବାଦରେ ଆୟୋଜିତ ‘ୟାଦଗାର-ଏ-ଫତେହ’ କାର୍ଯ୍ୟକ୍ରମରେ ଶାହବାଜ ସରିଫ ସିନ୍ଧୁ ଜଳ ସନ୍ଧି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ପାକିସ୍ତାନ ନିଜ ଲୋକଙ୍କ ଶାନ୍ତି, ସମ୍ମାନ ଓ ମର୍ଯ୍ୟାଦା ପାଇଁ ଠିଆ ହୋଇଛି। ଏହାକୁ ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ। ଯଦି ଭାରତ ସିନ୍ଧୁ ନଦୀର ପାଣି ନେଇ ନିଜ ଆଭିମୁଖ୍ୟ ବଦଳାଏ ନାହିଁ, ତେବେ ପାକିସ୍ତାନ କଡ଼ା ଜବାବ ଦେବ ବୋଲି ସେ କହିଛନ୍ତି। ଶାହବାଜ ଆହୁରି କହିଛନ୍ତି, ଭବିଷ୍ୟତରେ ଯଦି ଭାରତ ପାକିସ୍ତାନର ସାର୍ବଭୌମତ୍ୱ ଓ ସୁରକ୍ଷାକୁ ଚ୍ୟାଲେଞ୍ଜ କରେ, ତେବେ ମେ’ ୨୦୨୫ ତୁଳନାରେ ଆହୁରି ବଡ଼ ଓ ଶକ୍ତିଶାଳୀ ଜବାବ ଦିଆଯିବ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ସନ୍ଧିକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତିକୁ ନେଇ ପାକିସ୍ତାନରେ ଅସନ୍ତୋଷ ଲାଗି ରହିଛି। ପାକିସ୍ତାନର ଦାବି, ସିନ୍ଧୁ ନଦୀର ପାଣି ତାଙ୍କ ଦେଶର କୃଷି ଓ ଲୋକଙ୍କ ଜୀବନ ପାଇଁ ଅତ୍ୟନ୍ତ ଜରୁରୀ।

ଏହି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଭାରତ-ପାକିସ୍ତାନ ଯୁଦ୍ଧବିରତି ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଯୁଦ୍ଧବିରତି କରାଇବାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭୂମିକା ଥିଲା ବୋଲି ସେ ଦାବି କରିଛନ୍ତି। ତାଙ୍କ ଅନୁସାରେ, ଟ୍ରମ୍ପଙ୍କ ହସ୍ତକ୍ଷେପ ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ସମୟରେ ଯୁଦ୍ଧବିରତି ହୋଇଥିଲା। ତେବେ ଭାରତ ପୂର୍ବରୁ ଯୁଦ୍ଧବିରତିରେ ଆମେରିକାର ମଧ୍ୟସ୍ଥତା ଦାବିକୁ ଗ୍ରହଣ କରିନାହିଁ। ଏହାରି ମଧ୍ୟରେ ସିନ୍ଧୁ ଜଳ ସନ୍ଧିକୁ ନେଇ ଶାହବାଜଙ୍କ ନୂଆ ବୟାନ ଦୁଇ ଦେଶ ମଧ୍ୟରେ ଜଳ ବିବାଦକୁ ପୁଣି ଚର୍ଚ୍ଚାକୁ ଆଣିଛି।

ଅପରପକ୍ଷେ ଶାହବାଜ ଚୀନ୍ ସହ ପାକିସ୍ତାନର ସମ୍ପର୍କକୁ ମଧ୍ୟ ମଜବୁତ ବୋଲି କହିଛନ୍ତି। ଚୀନ୍ ସହ ଦୁଇ ଦେଶର ବନ୍ଧୁତ୍ୱ ଆହୁରି ମଜବୁତ ରହିବ ବୋଲି ସେ ଦାବି କରିଛନ୍ତି। ସେହିପରି ସାଉଦି ଆରବ ଓ ତୁର୍କୀ ସହ ପାକିସ୍ତାନର ପ୍ରତିରକ୍ଷା ସମ୍ପର୍କକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି। ଏଭଳି ସ୍ଥିତିରେ ସିନ୍ଧୁ ଜଳକୁ ନେଇ ପାକିସ୍ତାନର ଧମକ ଦୁଇ ଦେଶ ମଧ୍ୟରେ ଆଗାମୀ ଦିନରେ କୂଟନୈତିକ ତିକ୍ତତାକୁ ଆହୁରି ବଢ଼ାଇପାରେ।

Leave a Reply

Your email address will not be published. Required fields are marked *