ଭୁବନେଶ୍ୱର : ରାଜ୍ୟରେ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଆଜିଠାରୁ ୧୭ ଯାଏଁ ସବୁଠି ଉଡ଼ିବ ଜାତୀୟ ପତାକା । ତ୍ରିରଙ୍ଗା ପଦଯାତ୍ରାରେ କମ୍ପିଲା ରାଜଧାନୀ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଛାତ୍ରଛାତ୍ରୀ ଓ ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ । ଏହି ଅବସରରେ ରାଜ୍ୟର ପ୍ରତ୍ୟେକ ଘର, ଗ୍ରାମ, ସହର, ବିଦ୍ୟାଳୟ ଓ କାର୍ଯ୍ୟାଳୟରେ ଗୌରବର ସହ ଜାତୀୟ ପତାକା ଉଡ଼ାଇବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ କରିଛନ୍ତି ମୋହନ ମାଝୀ ।
ତ୍ରିରଙ୍ଗାକୁ ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ ଓ ଗୌରବର ପ୍ରତୀକ ବୋଲି କହି ମୁଖ୍ୟମନ୍ତ୍ରୀ ପ୍ଲାଷ୍ଟିକ୍ ପତାକା ବ୍ୟବହାର ନକରି କପଡ଼ା ପତାକା ବ୍ୟବହାର ପାଇଁ ନିବେଦନ କରିଛନ୍ତି । ଏହି ଅବସରରେ ଆୟୋଜିତ ତ୍ରିରଙ୍ଗା ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଜନପ୍ରତିନିଧି, ଛାତ୍ରଛାତ୍ରୀ, NCC-NSS ସ୍ୱେଚ୍ଛାସେବୀ ଏବଂ ଆନ୍ତର୍ଜାତୀୟ କ୍ରୀଡ଼ାବିତ୍ ମାନେ ସାମିଲ ହୋଇଥିଲେ। ଯୁବପିଢ଼ି ଓ Gen-Zଙ୍କୁ ଦେଶଭକ୍ତିକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରି ମୁଖ୍ୟମନ୍ତ୍ରୀ “ଯୁବଶକ୍ତିର ଏକ ହିଁ ସ୍ୱର—ସୁରକ୍ଷିତ ହେବ ଦେଶ ଆମର” ବାର୍ତ୍ତା ଦେଇଛନ୍ତି । ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣରେ ଓଡ଼ିଶାର ଭୂମିକା ନିର୍ଣ୍ଣାୟକ ହେବ ବୋଲି ମଧ୍ୟ କହିଛନ୍ତି ।
ନିଜ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀ, ବୀର ଶହୀଦ ଏବଂ ଓଡ଼ିଶାର ଅମର ସପୁତମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ , ୧୯୪୨ ଅଗଷ୍ଟ ୯ ରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମଇଦାନରୁ ଆରମ୍ଭ ହୋଇଥିବା ‘ଭାରତ ଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା । ଜାତୀୟ ପତାକା ‘ତ୍ରିରଙ୍ଗା’ କେବଳ ତିନିଟି ରଙ୍ଗର ସମାହାର ନୁହେଁ, ବରଂ ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱାଭିମାନ, ଗୌରବ ଓ ଆକାଂକ୍ଷାର ପ୍ରତୀକ ।
କେଶରୀ ରଙ୍ଗ ସାହସ ଓ ତ୍ୟାଗ, ଶ୍ୱେତ ରଙ୍ଗ ଶାନ୍ତି ଓ ସତ୍ୟ, ସବୁଜ ରଙ୍ଗ ସମୃଦ୍ଧି ଏବଂ ମଝିରେ ଥିବା ଅଶୋକ ଚକ୍ର ନିରନ୍ତର କର୍ତ୍ତବ୍ୟପଥରେ ଆଗେଇ ଚାଲିବାର ଶିକ୍ଷା ଦିଏ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ।