ବଡ଼ବିଲ: ବ୍ୟାଙ୍କ ଗ୍ରାହକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ହଡ଼ପ କରିବା ଅଭିଯୋଗରେ ଏକ ଘରୋଇ ବ୍ୟାଙ୍କର ପୂର୍ବତନ ଅଧିକାରୀ ଏବଂ ତାଙ୍କ ବାପାଙ୍କୁ କେନ୍ଦୁଝର ଜିଲ୍ଲା ପୋଲିସ ଗିରଫ କରିଛି । ବ୍ୟାଙ୍କ ଉପରେ ଥିବା ଲୋକଙ୍କ ବିଶ୍ୱାସର ସୁଯୋଗ ନେଇ ଏହି ବଡ଼ ଧରଣର ଆର୍ଥିକ କେଳେଙ୍କାରୀ କରାଯାଇଥିବା ଜଣାପଡିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଡ଼ବିଲ ଶାଖାର ସମ୍ପୃକ୍ତ ଘରୋଇ ବ୍ୟାଙ୍କର ପୂର୍ବତନ ରିଲେସନସିପ୍ ମ୍ୟାନେଜର ଜସପ୍ରୀତ ସିଂହ ଏବଂ ତାଙ୍କ ବାପା ବିକ୍ରମ ସିଂହ। ସେମାନେ ସ୍ଥାନୀୟ ମୃଣାଳ କଲୋନୀ ଅଞ୍ଚଳର ବାସିନ୍ଦା ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଭୟ ବାପା ଓ ପୁଅ ମିଶି ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟରୁ ବେଆଇନ ଭାବେ ପ୍ରାୟ ତିନି କୋଟିରୁ ଅଧିକ ଟଙ୍କା ଠକେଇ କରିଛନ୍ତି। ଏହି ଘଟଣା ସେତେବେଳେ ଲୋକଲୋଚନକୁ ଆସିଲା ଯେତେବେଳେ ବ୍ୟାଙ୍କର ଜଣେ ମହିଳା ଗ୍ରାହକ ଅନିତା ଅଗ୍ରୱାଲ ବଡ଼ବିଲ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ଅନିତାଙ୍କ ବ୍ୟାଙ୍କ ଖାତାରୁ ବିନା ଅନୁମତିରେ ଦଶ ଲକ୍ଷ ଚଉତିରିଶ ହଜାର ଟଙ୍କା ଉଠାଇ ନେଇଥିବା ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ।