Spread the love

ନୂଆଦିଲ୍ଲୀ : ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ଭାରତୀୟ କୁସ୍ତି ମହାସଂଘ (WFI) ସଭାପତି ଓ ପୂର୍ବତନ ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ସୋମବାର ତାଙ୍କୁ ସମସ୍ତ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସହ-ଅଭିଯୁକ୍ତ ତଥା ପୂର୍ବତନ କୁସ୍ତି ମହାସଂଘ ସଚିବ ବିନୋଦ ତୋମରଙ୍କୁ ମଧ୍ୟ କୋର୍ଟ ଦୋଷମୁକ୍ତ କରିଛନ୍ତି।

୨୦୨୩ ମସିହାରେ ଅନ୍ତର୍ଜାତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ଅନ୍ୟ କେତେକ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା, ମାନସିକ ଉତ୍ପୀଡ଼ନ ଏବଂ ଅପରାଧିକ ଧମକ ଦେବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ସହ କୁସ୍ତିଯୋଦ୍ଧାଙ୍କ ଦୀର୍ଘ ଆନ୍ଦୋଳନ ମଧ୍ୟ ହୋଇଥିଲା। ମାମଲାର ଶୁଣାଣି ସମୟରେ ବ୍ରିଜଭୂଷଣ ଶରଣ ସିଂହ ଓ ବିନୋଦ ତୋମର କୋର୍ଟରେ ଉପସ୍ଥିତ ଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ୨ ଜୁଲାଇ ୨୦୨୬ରେ ରାୟ ସଂରକ୍ଷିତ ରଖିଥିଲେ। ଅତିରିକ୍ତ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଶ୍ୱନୀ ପନୱାର ଶେଷରେ ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜାନୁଆରୀ ୨୦୨୩ରେ ଏହି ମାମଲା ସାମ୍ନାକୁ ଆସିଥିବା ବେଳେ ବ୍ରିଜଭୂଷଣ ୨୦ ଜୁଲାଇ ୨୦୨୩ରୁ ନିୟମିତ ଜାମିନରେ ରହିଥିଲେ। ୧୦ ମେ ୨୦୨୪ରେ ଦିଲ୍ଲୀ ପୋଲିସର ଚାର୍ଜସିଟ୍ ଆଧାରରେ କୋର୍ଟ ଅଭିଯୋଗ ଗଠନ କରିବା ପରେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ମାମଲାରେ ମୋଟ ୧୨୭ଟି ଶୁଣାଣି ହୋଇଥିଲା।

ରାୟ ପରେ ବ୍ରିଜଭୂଷଣ ଶରଣ ସିଂହ କହିଛନ୍ତି, ଯେଉଁଦିନ ମୋ ବିରୋଧରେ ଅଭିଯୋଗ ଆସିଥିଲା, ସେହିଦିନ ମୁଁ କହିଥିଲି ଯେ ଯଦି ଗୋଟିଏ ବି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ମୁଁ ଖୁସିରେ ଫାଶୀରେ ଝୁଲିପଡ଼ିବି। ଆଜି କୋର୍ଟ ମୋତେ ସମ୍ମାନର ସହ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Leave a Reply

Your email address will not be published. Required fields are marked *