Spread the love

ନୂଆଦିଲ୍ଲୀ : ଦିଲ୍ଲୀର ଟ୍ୟାକ୍ସି ଓ ପରିବହନ ସଂଘଗୁଡ଼ିକ ପକ୍ଷରୁ ଇ-୨୦ ଇନ୍ଧନ (ଇଥାନଲ୍-ମିଶ୍ରିତ ପେଟ୍ରୋଲ) ନୀତି ବିରୋଧରେ ଆସନ୍ତା ଅଗଷ୍ଟ ୪ ତାରିଖରେ ସଂସଦ ଭବନ ଅଭିମୁଖେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯିବ ବୋଲି ଘୋଷଣା କରାଯାଇଛି। ସାଂସଦମାନେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ନିରବ ରହିଥିବାରୁ ସେମାନଙ୍କୁ ଚେତାଇବା ପାଇଁ ପ୍ରସ୍ତାବିତ ଶୋଭାଯାତ୍ରା ‘ୱେକ୍-ଅପ୍ କଲ୍’ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଇଥାନଲ୍ ମିଶ୍ରିତ ପେଟ୍ରୋଲ ଯୋଗୁଁ ଗାଡ଼ିଗୁଡ଼ିକର ମାଇଲେଜ୍ କମିଯାଉଛି, ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଉଛି। ବିଶେଷ କରି ପୁରୁଣା ମଡ଼େଲ୍ ଗାଡ଼ିଗୁଡ଼ିକର ଇଞ୍ଜିନ୍ ଉପରେ ଏହାର କୁପ୍ରଭାବ ପଡ଼ୁଛି। ପରିବହନ ସଂଘଗୁଡ଼ିକ ଇ-୨୦ ଇନ୍ଧନକୁ ବାଧ୍ୟତାମୂଳକ ନକରି ଗ୍ରାହକଙ୍କୁ ସାଧାରଣ ପେଟ୍ରୋଲ୍ ବାଛିବାର ବିକଳ୍ପ ଦେବାକୁ ଦାବି କରିଛନ୍ତି।

ଏହା ସହିତ ଏହି ନୀତିର ଏକାନ୍ତ ବୈଜ୍ଞାନିକ ସମୀକ୍ଷା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି। ଦିଲ୍ଲୀ ଟ୍ୟାକ୍ସି ଆଣ୍ଡ ଟୁରିଷ୍ଟ ଟ୍ରାନ୍ସପୋର୍ଟର୍ସ ଆଣ୍ଡ ଟୁର୍ ଅପରେଟର୍ସ ଆସୋସିଏସନ୍‌ ଓ ଅନ୍ୟାନ୍ୟ ସଂଗଠନ ଏହି ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଆସୋସିଏସନ୍‌ ସଭାପତି ସଞ୍ଜୟ ସମ୍ରାଟ କହିଛନ୍ତି ଯେ ତାଙ୍କର ଏହି ଶୋଭାଯାତ୍ରା ଇ-୨୦ ଜନତା ପାର୍ଟି ଓ କକ୍ରୋଚ ଜନତା ପାର୍ଟି (ସିଜେପି)ର ବନ୍ଦ ଡାକରା ସହିତ କୌଣସି ପ୍ରକାର ଜଡିତ ନୁହେଁ। ଏହା ସମ୍ପୂର୍ଣ୍ଣ ଏକ ଅଣରାଜନୈତିକ ପ୍ରତିବାଦ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Leave a Reply

Your email address will not be published. Required fields are marked *