Spread the love

କଟକ: କଟକରେ ଲଗାଣ ବର୍ଷା ଏବେ ବଡ଼ ବିପତ୍ତିର କାରଣ ପାଲଟିଛି। ଲଗାତାର ଢାଳୁଥିବା ବର୍ଷା ଯୋଗୁଁ ସହରର ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି ଏବଂ ବିଭିନ୍ନ ତଳିଆ ଅଞ୍ଚଳରେ ଭୟଙ୍କର ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଅବସ୍ଥା ଏମିତି ହୋଇଛି ଯେ, ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଲହଡ଼ି ମାରୁଛି। ମିଳିଥିବା ଖବର ଅନୁଯାୟୀ, ପ୍ରବଳ ଜଳବନ୍ଦୀ ଯୋଗୁଁ କଟକର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରାୟ ୨୦ଟି ପରିବାର ନିଜ ଘର ଭିତରେ ହିଁ ଫସି ରହିଛନ୍ତି। ପଦାକୁ ବାହାରିବା ମୁସ୍କିଲ୍ ହୋଇପଡ଼ିଥିବାରୁ ଏହି ପରିବାରଗୁଡ଼ିକ ଏବେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି।

 

ଗତ କିଛି ଦିନ ହେବ ଲାଗି ରହିଥିବା ଅବିଶ୍ରାନ୍ତ ବର୍ଷା କଟକ ସହରର ସ୍ୱାଭାବିକ ଜୀବନଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ଠପ୍ କରିଦେଇଛି। ସହରର ପ୍ରମୁଖ ରାସ୍ତାଘାଟଠାରୁ ଆରମ୍ଭ କରି ଗଳିକନ୍ଦି ପର୍ଯ୍ୟନ୍ତ ସବୁଠି ଖାଲି ପାଣି ଆଉ ପାଣି ଦେଖିବାକୁ ମିଳୁଛି। ବିଶେଷକରି ତଳିଆ ଅଞ୍ଚଳର ବାସିନ୍ଦାମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ଷା ଜଳ ଠିକ୍‌ରେ ନିଷ୍କାସନ ହୋଇନପାରି ସିଧାସଳଖ ଲୋକଙ୍କ ଶୋଇବା ଘର ଓ ରୋଷେଇ ଘର ଭିତରେ ପଶିଯାଇଛି। ଫଳରେ ଆସବାବପତ୍ର ନଷ୍ଟ ହେବା ସହ ଲୋକେ ରାନ୍ଧିବା ଓ ଖାଇବାକୁ ନପାଇ ଛଟପଟ ହେଉଛନ୍ତି।

Leave a Reply

Your email address will not be published. Required fields are marked *