Spread the love

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲ ବୀମା ଚାଷୀ ପଞ୍ଜୀକରଣ ଅବଧି ଅଗଷ୍ଟ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି କରିଛି କଂଗ୍ରେସ। ଏହି ସମୟସୀମା ମଧ୍ୟରେ ଯେପରି ରାଜ୍ୟର ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଋଣୀ ଓ ଅଣଋଣୀ ଚାଷୀ ପଞ୍ଜିକୃତ କରିପାରିବେ, ସେ ଦିଗରେ ସରକାର ପଦକ୍ଷେପ ନେବାକୁ ପ୍ରଦେଶ କଂଗ୍ରେସ ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ ଦାବି କରିଛନ୍ତି। ବିଶେଷକରି ପଞ୍ଚାୟତ ପରିବର୍ତ୍ତେ ପ୍ରତି ରାଜସ୍ୱ ଗ୍ରାମକୁ ଫସଲବୀମା କ୍ଷେତ୍ରରେ ଏକକ ୟୁନିଟ୍‌ ଭାବେ ଗ୍ରହଣ କରାଯିବା ସହ ବିଜ୍ଞ‌ପିତ ୮ଟି ଫସଲ ପରିବର୍ତ୍ତେ ଅଧିକ ଅମଳକ୍ଷମ ଅନ୍ୟ ଫସଲଗୁଡ଼ିକୁ ବୀମା ପରିସରଭୁକ୍ତ କରିବା ପାଇଁ ଦାବି କରାଯାଇଛି।

ବନ୍ୟା, ବାତ୍ୟା, ମରୁଡ଼ି ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଫସଲ କ୍ଷତି ହେବା ଫଳରେ ଅନେକ ସମୟରେ ଚାଷୀକୁଳ ବେସାହରା ହେଉଛନ୍ତି। କ୍ରପ୍‌ କଟିଂ ଓ ସାଟେଲାଇଟ୍‌ ସର୍ଭେ ନିର୍ଦ୍ଧାରିତ ସମୟରେ କରାଯିବା ସହ ଚାଷୀଙ୍କୁ ତ୍ୱରିତ ବୀମା କ୍ଷତିପୂରଣ ସହାୟତା ପ୍ରଦାନ କରାଯିବା ପାଇଁ ନୀତିଗତ ବ୍ୟବସ୍ଥା କରାଯାଉ। ବୀମା ପଞ୍ଜିକୃତ ଚାଷୀମାନେ କିପରି ସହଜରେ କ୍ଷତିପୂରଣ ପାଇପାରିବେ, ତାହାର ପ୍ରତିକାର ପାଇଁ ଭାରତ ସରକାର ଅତୀତରେ ଜାତୀୟ କୃଷି ବୀମା କମ୍ପାନୀ ପ୍ରତିଷ୍ଠା କରି ଚାଷୀଙ୍କୁ ବୀମା କ୍ଷତିପୂରଣ ସହାୟତା ସହଜରେ ପହଞ୍ଚାଉଥିଲେ। ଦୁର୍ଭାଗ୍ୟର କଥା, ୨୦୧୬ ଖରିଫ ଋତୁଠାରୁ କେନ୍ଦ୍ର ସରକାର ଘରୋଇ ବୀମା କମ୍ପାନୀଗୁଡ଼ିକୁ ଗୁରୁତ୍ୱ ପ୍ରଦାନ କରି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା କାର୍ଯ୍ୟକାରୀ କରିବା ଦ୍ୱାରା ଏହି ଯୋଜନାରେ ଅହେତୁକ ତ୍ରୁଟି ଓ ଚାଷୀର ସ୍ୱାର୍ଥ ପାଇଁ ବିଶେଷ ସୁବିଧା ନଥିବା ଅଭିଯୋଗ ଆସିଛି। ଘରୋଇ କମ୍ପାନୀ ଓ ସରକାର ଏହାର ଫାଇଦା ବାରମ୍ବାର ଉଠାଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଫସଲବୀମା ଚାଷୀ ପଞ୍ଜୀକରଣ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ରହିଛି।

Leave a Reply

Your email address will not be published. Required fields are marked *