ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୯ ସକାଳ ୧୧ଟାରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରତ୍ୟେକ ସଂସଦ ଅଧିବେଶନ ପୂର୍ବରୁ ହେଉଥିବା ଏହି ବୈଠକରେ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ସହ ବିଧାନୀୟ କାର୍ଯ୍ୟସୂଚୀ ଉପରେ ଆଲୋଚନା ହେବ।
ସରକାର ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ସେମାନଙ୍କ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରିଛନ୍ତି। ମୌସୁମୀ ଅଧିବେଶନରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇପାରେ, ସେନେଇ ବିରୋଧୀ ଦଳକୁ ଅବଗତ କରାଯିବ। ସେହିପରି ବିରୋଧୀ ଦଳ ମଧ୍ୟ ଅଧିବେଶନରେ ଉଠାଇବାକୁ ଚାହୁଁଥିବା ପ୍ରସଙ୍ଗଗୁଡ଼ିକୁ ସରକାରଙ୍କ ସାମ୍ନାରେ ରଖିବେ।
ଏଥର ସଂସଦରେ ଆଇନଶୃଙ୍ଖଳା, ସୀମା ସୁରକ୍ଷା, ଜାତୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ବିରୋଧୀ ଦଳ NEET-UG ପେପର ଲିକ୍, ପେଟ୍ରୋଲରେ ଇଥାନଲ୍ ବ୍ଲେଣ୍ଡିଂ ଏବଂ ରାମ ମନ୍ଦିରରେ ଚୋରି ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଫଳରେ ଏଥରର ମୌସୁମୀ ଅଧିବେଶନ ବେଶ୍ ହଙ୍ଗାମାଦାର ହେବାର ଆଶଙ୍କା କରାଯାଉଛି।