ପୁରୀ : ରଥଯାତ୍ରା ପୂଜା ଓ ସେବା ନାଁରେ ଠକେଇ । ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଶ୍ରୀମନ୍ଦିର ନାମକ ଆପ । ଶ୍ରୀମନ୍ଦିର ଟିମ୍ ନାଁରେ ପୂଜା ଓ ସେବାର ବିଜ୍ଞାପନ ଦେଇ ଭକ୍ତଙ୍କୁ ଠକୁଛି ଏହି ଆପ । ମାତ୍ର ୧୨୧ ଟଙ୍କା ଦେଇ ରଥଯାତ୍ରା ପାଇଁ ଖେଚୁଡ଼ି ବଣ୍ଟନ ସେବାରେ ଭାଗ ନେଇ ପାରିବେ । ଏମିତି ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଶ୍ରୀମନ୍ଦିର ନାମକ ଆପରେ ଏହି ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଶ୍ରୀଗୁଣ୍ଡିଚାର ପ୍ରଥମ ଦିନରେ ୧୦୧ କିଲୋର ଖେଚୁଡ଼ି ବଣ୍ଟନ ହେବ । ଏହି ସେବାରେ ମାତ୍ର ୧୨୧ ଟଙ୍କା ଦେଇ ଆପଣ ସାମିଲ ହୋଇ ପାରିବେ ଏମିତି ଏକ ବିଜ୍ଞାପନ ଦେଇଛି ଉକ୍ତ ଶ୍ରୀମନ୍ଦିର ଆପ । ତେବେ ଏହା ଏକ ଫ୍ରଡ ହୋଇପାରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ପ୍ରାରମ୍ଭିକ ସୂଚନା ରହିଛି । ତେବେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଇଭଳି ଶହ ଶହ ବିଜ୍ଞାପନ ଭାଇରାଲ ହେଉଛି।