ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଦୁଇ ଦେଶର ସମ୍ପର୍କକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି। ଏହି ଗସ୍ତ ସମୟରେ ପ୍ରତିରକ୍ଷା, ମୁକ୍ତ ବାଣିଜ୍ୟ, ସାମୁଦ୍ରିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ସହଯୋଗ, କୃଷି, ଦୁଗ୍ଧ ଉତ୍ପାଦନ, ପର୍ଯ୍ୟଟନ, ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ସଂସ୍କୃତି ଓ ଦୁର୍ବିପାକ ପରିଚାଳନା ସମେତ ବିଭିନ୍ନ କ୍ଷେତ୍ରରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ଓ ନିଷ୍ପତ୍ତି ହୋଇଛି। ଏହାସହ ଉଭୟ ଦେଶ ନିଜ ସମ୍ପର୍କକୁ ‘ରଣନୀତିକ ସହଭାଗିତା’ର ମାନ୍ୟତା ଦେଇଛନ୍ତି।
ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଚଳିତ ବର୍ଷ ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କ ପାଇଁ ଅତ୍ୟନ୍ତ ସ୍ମରଣୀୟ। ଏହି ବର୍ଷ ରେକର୍ଡ ସମୟ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପନ୍ନ ହୋଇଥିବା ବେଳେ ବର୍ତ୍ତମାନ ଦ୍ୱିପାକ୍ଷିକ ସମ୍ପର୍କ ରଣନୀତିକ ସହଭାଗିତାର ସ୍ତରକୁ ଉନ୍ନୀତ ହୋଇଛି। ଉଭୟ ଦେଶ ମୁକ୍ତ ବାଣିଜ୍ୟ ଚୁକ୍ତି ଅନୁଯାୟୀ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୭ ଅରବ ନ୍ୟୁଜିଲାଣ୍ଡ ଡଲାର (ପ୍ରାୟ ୩୫ ହଜାର କୋଟି ଟଙ୍କା)ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଉଭୟ ଦେଶର ବଜାରକୁ ପରସ୍ପର ପାଇଁ ଅଧିକ ସୁଗମ କରିବା ସହ ଆର୍ଥିକ ସହଯୋଗ ବଢ଼ାଇବା ଉପରେ ଜୋର ଦିଆଯିବ। ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ନ୍ୟୁଜିଲାଣ୍ଡ ପ୍ରତିରକ୍ଷା ବଳ ମଧ୍ୟରେ ସାମୁଦ୍ରିକ ସହଯୋଗ ଚୁକ୍ତି ହୋଇଛି। ଏହା ମାଧ୍ୟମରେ ଭାରତ-ପ୍ରଶାନ୍ତ ଅଞ୍ଚଳରେ ସଂଳାପ, ସମନ୍ୱୟ, ସୂଚନା ଆଦାନପ୍ରଦାନ ଓ ମିଳିତ କାର୍ଯ୍ୟକଳାପକୁ ବୃଦ୍ଧି କରାଯିବ। ଏହାସହ ସାମୁଦ୍ରିକ ମାନଚିତ୍ର ପ୍ରସ୍ତୁତି, ଜଳପଥ ସମ୍ବନ୍ଧୀୟ ତଥ୍ୟ ଆଦାନପ୍ରଦାନ, ପ୍ରଶିକ୍ଷଣ ଓ କ୍ଷମତା ବିକାଶ କ୍ଷେତ୍ରରେ ମଧ୍ୟ ସହଯୋଗ କରିବାକୁ ଉଭୟ ଦେଶ ସହମତ ହୋଇଛନ୍ତି।
ଭାରତୀୟ ନୌସେନା ଓ ନ୍ୟୁଜିଲାଣ୍ଡ ପ୍ରତିରକ୍ଷା ବଳ ମଧ୍ୟରେ ପାରସ୍ପରିକ ରସଦ ସହଯୋଗ ବ୍ୟବସ୍ଥା ମଧ୍ୟ ଲାଗୁ ହେବ। ଏହା ଅନୁସାରେ ଉଭୟ ଦେଶର ସେନା ଆବଶ୍ୟକତା ଅନୁଯାୟୀ ପରସ୍ପରକୁ ରସଦ ସହାୟତା ଯୋଗାଇ ପାରିବେ। ସେହିପରି ସାମୁଦ୍ରିକ ସୁରକ୍ଷା ସଂଳାପ ଆରମ୍ଭ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ଆତଙ୍କବାଦ ବିରୋଧୀ କାର୍ଯ୍ୟ ଗୋଷ୍ଠୀ ଗଠନ କରିବାକୁ ସହମତ ହୋଇଛନ୍ତି। ଏହା ମାଧ୍ୟମରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ, ସମନ୍ୱୟ ଓ ମିଳିତ ରଣନୀତି ପ୍ରସ୍ତୁତ କରାଯିବ।ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଓ ନ୍ୟୁଜିଲାଣ୍ଡର ଜରୁରୀକାଳୀନ ପରିଚାଳନା ଏଜେନ୍ସି ମଧ୍ୟରେ ମଧ୍ୟ ଚୁକ୍ତି ହୋଇଛି। ଭୂକମ୍ପ, ସୁନାମି ଓ ଉପକୂଳୀୟ ବିପର୍ଯ୍ୟୟ ସମୟରେ ମିଳିତ ଭାବେ କାର୍ଯ୍ୟ କରିବା ସହ ନୀତି ପ୍ରସ୍ତୁତି, ଜ୍ଞାନ ବିନିମୟ ଓ କ୍ଷମତା ବୃଦ୍ଧି ଉପରେ କାମ କରାଯିବ।
ଭାରତର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲାଣ୍ଡର ପ୍ରାଥମିକ ଶିଳ୍ପ ମନ୍ତ୍ରଣାଳୟ ମଧ୍ୟରେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବୈଷୟିକ ସହଯୋଗ, ଆଧୁନିକ ପ୍ରଯୁକ୍ତି ଓ ଉନ୍ନତ କାର୍ଯ୍ୟପ୍ରଣାଳୀର ଆଦାନପ୍ରଦାନ ଉପରେ ସହମତି ପ୍ରକାଶ ପାଇଛି। ମୁକ୍ତ ବାଣିଜ୍ୟ ଚୁକ୍ତି ଅନ୍ତର୍ଗତ କିୱି ଫଳ କାର୍ଯ୍ୟଯୋଜନା ଆରମ୍ଭ ହେବ। ସେହିପରି ନାଗାଲାଣ୍ଡ ଓ ଉତ୍ତରାଖଣ୍ଡରେ ଦୁଇଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ। ଏଠାରେ କୃଷି ନବସୃଜନ, କୌଶଳ ବିକାଶ ଓ ଶିକ୍ଷା ମାଧ୍ୟମରେ କୃଷି ଉତ୍ପାଦନ ବୃଦ୍ଧି ଉପରେ କାମ କରାଯିବ।