Spread the love

ନୂଆଦିଲ୍ଲୀ: ଭୟଙ୍କର ଭୂକମ୍ପରେ ୨୭ହଜାର ନିଖୋଜ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି । ଭେନେଜୁଏଲାରେ ପ୍ରକୃତି ରଚିଛି ତାଣ୍ଡବ । ମାତ୍ର କେଇ ସେକେଣ୍ଡ ବ୍ୟବଧାନରେ ଆସିଥିବା ଦୁଇ ଦୁଇଟି ଶକ୍ତିଶାଳୀ ଭୂକମ୍ପ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୭.୨ ଏବଂ ୭.୫ ରେକର୍ଡ କରାଯାଇଛି। ରାଜଧାନୀ ପଶ୍ଚିମରେ ଥିବା ୟାରାକୁଇ ପ୍ରଦେଶ ଏହାର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏହାର ପ୍ରଭାବରେ ଜନବସତିପୂର୍ଣ୍ଣ କାରାକାସ୍ ଏବଂ ବନ୍ଦର ସହର ଲା ଗୁଆଇରା ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି।ଏହି ମହାବିପତ୍ତିରେ ବର୍ତ୍ତମାନ ସୁଦ୍ଧା ୧୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ପ୍ରାୟ ୨୭ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି, ଯେଉଁମାନେ ଭୁଶୁଡ଼ି ପଡ଼ିଥିବା କୋଠାବାଡ଼ିର ଧ୍ୱଂସସ୍ତୂପ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ।

ସ୍ଥାନୀୟ ଅଗ୍ନିଶମ ବାହିନୀ, ସିଭିଲ୍ ପ୍ରୋଟେକ୍ସନ, ସୁରକ୍ଷା ବଳ ଏବଂ ଶତାଧିକ ସ୍ଵେଚ୍ଛାସେବୀ ଦିନରାତି ଏକ କରି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବାରମ୍ବାର ଆସୁଥିବା ଆଫ୍ଟରଶକ୍ ମଧ୍ୟରେ ବି ଭଙ୍ଗା କୋଠା ତଳୁ ଜୀବନ୍ତ ଲୋକଙ୍କୁ ଉଦ୍ଧାର କରାଯାଉଥିବାର ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି। ବିପର୍ଯ୍ୟୟର ବ୍ୟାପକତାକୁ ଦୃଷ୍ଟିରେ ରଖି କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।ଏହି ସଙ୍କଟ ସମୟରେ ଭେନେଜୁଏଲାକୁ ସହଯୋଗ କରିବା ପାଇଁ ଆନ୍ତର୍ଜାତୀୟ ସମୁଦାୟ ଆଗେଇ ଆସିଛନ୍ତି । ଆମେରିକାର ସେକ୍ରେଟେରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓଙ୍କ ସୂଚନା ଅନୁସାରେ, ଆମେରିକା ନିଜର ସ୍ପେଶାଲାଇଜ୍ଡ ଅର୍ବାନ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଟିମ୍ ଏବଂ ମେଡିକାଲ ସାମଗ୍ରୀ ପଠାଇଛି ।

ବିପର୍ଯ୍ୟୟର ପ୍ରଥମ ୪୮-୭୨ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଜୀବନ ବଞ୍ଚାଇବାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି। ସ୍ୱତନ୍ତ୍ର ସ୍ନିଫର୍ ଡଗ୍ ଏବଂ ଆଧୁନିକ ସରଞ୍ଜାମ ସହ USAR ଟିମ୍ ନିୟୋଜିତ କରିଛି। ନିଜର ସାମରିକ SAR ବିଶେଷଜ୍ଞମାନଙ୍କୁ ପଠାଇଛି। କାତାର, ମେକ୍ସିକୋ, ଏଲ୍ ସାଲଭାଡୋର, ଚିଲି, ଫ୍ରାନ୍ସ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶ ମଧ୍ୟ ମିଳିତ ଜାତିସଂଘର OCHA ମାଧ୍ୟମରେ ସାହାଯ୍ୟର ହାତ ବଢ଼ାଇଛନ୍ତି। ଲା ଗୁଆଇରାର ଅନେକ ବହୁତଳ ପ୍ରାସାଦ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ବିଦ୍ୟୁତ ସେବା ବ୍ୟାହତ ଏବଂ ମୋବାଇଲ ନେଟୱର୍କ ଠପ୍ ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ଅନେକ ବାଧା ସୃଷ୍ଟି ହେଉଛି। ତେବେ ଉଦ୍ଧାରକାରୀ ଦଳ ନିଜ ପ୍ରାଣକୁ ବାଜି ଲଗାଇ ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି। ରାଜନୈତିକ ଓ ଅର୍ଥନୈତିକ ସଂକ୍ରାମଣ ଦେଇ ଗତି କରୁଥିବା ଭେନେଜୁଏଲା ପାଇଁ ଏହି ପ୍ରାକୃତିକ ବିପର୍ଯ୍ୟୟ ଏକ ବଡ଼ ବୋଝ ସଦୃଶ ହୋଇଛି ।

Leave a Reply

Your email address will not be published. Required fields are marked *