ପାରାଦୀପ : କୁଜଙ୍ଗ ଥାନା ଆଲିଗଡ ଗାଁରେ ଏକ ନକଲି ଜର୍ଦ୍ଦା ତିଆରି କାରଖାନା ଠାବ । ଏହି କାରଖାନାରୁ ବିପୁଳ ପରିମାଣର ଜର୍ଦ୍ଦା ଜବତ କରାଯିବା ସହ କାରଖାନାର ମାଲିକ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଜଗତସିଂହପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୋଲିସକୁ ସୂଚନା ମିଳିବା ପରେ ତିର୍ତ୍ତୋଲ ଏସଡିପିଓ ଓ କୁଜଙ୍ଗ ଆଇଆଇସି ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଚଢାଉ କରି ୩୬୦ କିଲୋ ନକଲି ଜର୍ଦ୍ଦା ଓ ୬୬୦ କିଲୋ ଜର୍ଦ୍ଦା ତିଆରି ସାମଗ୍ରୀ ଜବତ କରିଥିଲେ।
କାରଖାନାରେ ୬ ଟି ଜର୍ଦ୍ଦା ଓ ଗୁଟକା ତିଆରି ମେସିନ୍, ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡ କମ୍ପାନୀର ଖୋଳ ଓ ଷ୍ଟିକର ମଧ୍ୟ ଜବତ କରାଯାଇଛି। ନଗଦ ୧ ଲକ୍ଷ ଟଙ୍କା ଓ ଏକ କାରକୁ ମଧ୍ୟ ପୋଲିସ ଜବତ କରିଛି। ଏହି ଘଟଣାରେ କାରଖାନାର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବିଜୟ ମୁଦୁଲି ଓ ସୁପରଭାଇଜର ପୂର୍ଣ୍ଣଚନ୍ଦ୍ର ବେଉରାକୁ ମଧ୍ୟ ଗିରଫ କରାଯାଇଛି।
ଏମାନେ ଏଠାରେ ନକଲି ଗୁଟକା ଓ ଜର୍ଦ୍ଦା ପ୍ରସ୍ତୁତ କରି ଅସଲି ଖୋଳରେ ପ୍ୟାକିଂ କରି ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଦୋକାନ ଓ ହୋଲସେଲ ଦୋକାନରେ ବିକ୍ରି କରିଥାନ୍ତି। ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।