ଯୋଡା : ୨୭ ଦିନ ପରେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର । ହତ୍ୟା କରିଥିଲା ପ୍ରେମିକ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଝାଡଗାଁ ସଂରକ୍ଷିତ ସିଦ୍ଧମଠ ଜଙ୍ଗଲରୁ ମୃତଦେହ ଜବତ ହୋଇଛି । ମୃତକ ହେଲେ ୨୧ ବର୍ଷୀୟା ଅନିତା ମହାକୁଡ଼ । ଗତ ମାସ ୧୧ ତାରିଖରୁ ଅନିତା ନିଖୋଜ ଥିଲେ । ଗତ ୧୫ ତାରିଖରେ ଅନିତା ନିଖୋଜ ଥିବା ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ପରିବାର ।
ଅନିତାଙ୍କ ମୋବାଇଲ ସିଜ୍ କରି ପୋଲିସ ସିଡିଏ ଆନାଲିସିସ୍ ରୁ ସୁରାକ ପାଇଥିଲା । ୧୧ତାରିଖରେ ଅନିତା ସେହି ଗ୍ରାମର ସଂଗ୍ରାମ ଆଲଦା ନାମକ ଯୁବକଙ୍କ ସହ ୨୪ ମିନିଟ ଧରି କଥା ହୋଇଥିଲେ । ବଡ଼ବିଲ ପୋଲିସ ସଂଗ୍ରାମଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେ ସ୍ବୀକାର କରିଥିଲା । ଅନିତା ଓ ସଂଗ୍ରାମଙ୍କ ଭିତରେ ପ୍ରେମ ସଂପର୍କ ଥିଲା ।
ଅନିତା ଅନ୍ୟ ଜଣେ ଯୁବକଙ୍କ ସହ ଫଟୋ ଉଠାଇବାକୁ କେନ୍ଦ୍ର କରି ଦୁଇ ଜଣଙ୍କ ଭିତରେ ବଚସା ହେବା ପରେ ଅନିତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ସଂଗ୍ରାମ । ଜଙ୍ଗଲରେ ମୃତଦେହକୁ ଏକ ଗାତରେ ପକାଇ ଡାଳପତ୍ର ଢାଙ୍କି ଦେଇଥିଲା । ପୁଲିସ ପଚରାଉଚରା ସମୟରେ ସବୁ ସତ କହିଥିଲା ସଂଗ୍ରାମ । ଜଙ୍ଗଲକୁ ସଂଗ୍ରାମକୁ ନେଇ କ୍ରାଇମ୍ ସିନ ରିକ୍ରିସନ୍ କରିଛି ବଡବିଲ୍ ପୋଲିସ ।