Spread the love

ଭୁବନେଶ୍ବର: ଯେତେ ଖୋଲିଲେ, ସେତେ ବାହାରୁଛି । କନ୍ଧମାଳ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ କୁବେର ସାମ୍ରାଜ୍ୟ । ବ୍ୟାଙ୍କ ଲକରରୁ ବାହାରିଲା ୨ କୋଟିର ନଗଦ କ୍ୟାସ । ଠାବ ହୋଇଛି ୫ ମହଲା କୋଠା ଓ ୧୩ଟି ଦାମୀ ପ୍ଲଟ୍ । ଯନ୍ତ୍ରୀଙ୍କ କଳାଧନ ଦେଖି ଭିଜିଲାନ୍ସ ବି ଚକିତ! ହୋଇଛି । କନ୍ଧମାଳରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚଢ଼ାଉ କରାଯାଇଛି । ତଥାପି ସରିନି ଖୋଳତାଡ଼ । ଆହୁରି ବଢ଼ିପାରେ ସମ୍ପତ୍ତିର ପରିମାଣ! । ଏକକାଳୀନ ଚଢ଼ାଉ ବେଳେ ଯନ୍ତ୍ରୀ ବାବୁଙ୍କର ଯେଉଁ ସମ୍ପତ୍ତିର ତାଲିକା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଚକିତ କରିଛି । ବ୍ୟାଙ୍କ ଲକରରୁ ବିପୁଳ ନଗଦ ଟଙ୍କା ସହ ଭୁବନେଶ୍ୱର ଏବଂ ଯାଜପୁରରେ ଆଲିସାନ କୋଠା ଓ ଜମିର ପାହାଡ଼ ଠାବ ହୋଇଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବୈକୁଣ୍ଠନାଥଙ୍କ ପତ୍ନୀଙ୍କ ନାମରେ ଥିବା ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଆକ୍ସିସ୍ ବ୍ୟାଙ୍କ ଏବଂ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ଲକରରୁ ଭିଜିଲାନ୍ସ ନଗଦ ୨ କୋଟି ଟଙ୍କା ଜବତ କରିଛି । ଟଙ୍କା ଗଣତି ପାଇଁ ମେସିନର ସାହାଯ୍ୟ ନେବାକୁ ପଡ଼ିଛି ।

ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଦାମୀ ଏବଂ ପରିଚିତ ଅଞ୍ଚଳରେ ଯନ୍ତ୍ରୀ ବାବୁ ୪ଟି ବିରାଟ କୋଠା ନିର୍ମାଣ କରିଛନ୍ତି। ଏହା ସହିତ ତାଙ୍କ ପୈତୃକ ଗାଁରେ ମଧ୍ୟ ଏକ କୋଠା ରହିଛି । ନୀଳାଦ୍ରି ବିହାରର ପ୍ରାୟ ୧୦ ହଜାର ୫୦୦ ବର୍ଗଫୁଟ୍ ପରିମିତ ଅଞ୍ଚଳରେ ନିର୍ମିତ ଏକ ସୁଦୃଶ୍ୟ ୪ ମହଲା କୋଠା ରହିଛି । ଶୈଳଶ୍ରୀ ବିହାରରେ ଏକ ଆଲିସାନ ୩ ମହଲା କୋଠା ବି ରହିଛି । ପଟିଆ କାନନ ବିହାରରେ ଏକ ଦୁଇ ମହଲା କୋଠା ସହ ଚନ୍ଦ୍ରଶେଖରପୁରରେ ଆଉ ଏକ ଦୁଇ ମହଲା ବିଶିଷ୍ଟ ଘର ରହିଛି । ଯାଜପୁର ପାଣ୍ଡୁଆରେ ନିଜ ପୈତୃକ ଜମି ଉପରେ ନିର୍ମିତ ଏକ ଦୁଇ ମହଲା କୋଠା ରହିଛି । ଇଞ୍ଜିନିୟର ବାବୁ ବିଭିନ୍ନ ସହରର ପ୍ରାଇମ୍ ଲୋକେସନରେ ୧୩ଟି ମୂଲ୍ୟବାନ ପ୍ଲଟ୍ କିଣି ରଖିଛନ୍ତି । ଯାହାର ସରକାରୀ ଓ ବଜାର ମୂଲ୍ୟ କୋଟି କୋଟି ଟଙ୍କା ହେବ। ଭୁବନେଶ୍ୱରରେ ୭ଟି ପ୍ଲଟ ରହିଛି । ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, ବମିଖାଲ ଏବଂ ଘାଟିକିଆ ଭଳି ପ୍ରତିଷ୍ଠିତ ଅଞ୍ଚଳରେ ଏହି ଜମି ଗୁଡ଼ିକ ରହିଛି ।

ଯାଜପୁର ଧର୍ମଶାଳା ଅଞ୍ଚଳରେ ୫ଟି ଜମି ଠାବ କରାଯାଇଛି । ବାରିପଦା ସହରରେ ମଧ୍ୟ ଏକ ପ୍ଲଟ୍ ଥିବା ଜଣାପଡ଼ିଛି । ଏହି ସବୁ ସ୍ଥାବର ସମ୍ପତ୍ତି ବ୍ୟତୀତ ବାବୁଙ୍କ ଘରୁ ବହୁ ପରିମାଣର ସୁନା ଗହଣା, ବୀମା ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରେ କରାଯାଇଥିବା ମୋଟା ଅଙ୍କର ନିବେଶ ର କାଗଜପତ୍ର ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି । ଭିଜିଲାନ୍ସ ବିଭାଗର ଏକାଧିକ ଟିମ୍ ଏବେ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ବିଭିନ୍ନ ଠିକଣାରେ ଖୋଳତାଡ଼ ଜାରି ରଖିଛନ୍ତି। ଚଢ଼ାଉ ଶେଷ ହେବା ପରେ ଏହି ସମ୍ପତ୍ତିର ସମୁଦାୟ ଆକଳନ କରାଯିବ ଏବଂ ଏହାର ପରିମାଣ ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅସାଧୁ ଉପାୟରେ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଅଡୁଆ ଆଗକୁ ଆହୁରି ବଢ଼ିବା ନିଶ୍ଚିତ ।

Leave a Reply

Your email address will not be published. Required fields are marked *