ଆସିକା: ସୁନା କିଣି ପଇସା ଦେଲେନି SDPO । ଆସିକା ପୋଲିସ ଅଧିକାରୀ ସନ୍ତୋଷ ଜେନା ନିଲମ୍ବିତ। ଖାକିରେ ଦାଗ, ସୁନା କିଣି ଟଙ୍କା ଦେଲେନି, ଶେଷରେ ସସପେଣ୍ଡ ହେଲେ SDPO! । ଜଣେ ପୋଲିସ ଅଧିକାରୀଙ୍କ କାରନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁନା ଗହଣା କିଣି ଦୋକାନୀଙ୍କୁ ଟଙ୍କା ନଦେବା ଅଭିଯୋଗରେ ଆସିକା SDPO ସନ୍ତୋଷ କୁମାର ଜେନାଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବିତ କରିଛି । ପ୍ରାୟ ତିନି ମାସ ତଳେ ଆସିକାର ଜଣେ ସୁନା ଦୋକାନୀ ଅଭିଯୋଗ କରିଥିଲେ ଯେ, SDPO ସନ୍ତୋଷ ଜେନା ତାଙ୍କ ଦୋକାନରୁ ସୁନା ଗହଣା ନେଇଥିଲେ ସତ, କିନ୍ତୁ ବାରମ୍ବାର ମାଗିବା ସତ୍ତ୍ୱେ ଏହାର ମୂଲ୍ୟ ପଇଠ କରିନଥିଲେ । ନ୍ୟାୟ ନପାଇ ଦୋକାନୀ ଜଣକ ଡିଜିପି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ ।
ଏପରିକି ସେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ପରବର୍ତ୍ତୀ ସମୟରେ ତାହାକୁ ହଟାଇ ଦେଇଥିଲେ । ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ କରିଥିଲେ। ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଏହି ମାମଲାରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ । ଏସପିଙ୍କ ସୂଚନା ଅନୁଯାୟୀ, ତାଙ୍କ ବିରୋଧରେ କେବଳ ସୁନା ମାମଲା ନୁହେଁ, ବରଂ ଅନେକ ଠକେଇ ଅଭିଯୋଗ ପୂର୍ବରୁ ମଧ୍ୟ ରହିଥିଲା । ଓଡ଼ିଶା ସିଭିଲ ସର୍ଭିସେସ୍ ରୁଲ୍-୧୯୬୨ ଅନୁଯାୟୀ ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି । ନିଲମ୍ବନ ସମୟରେ ସେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆଇଜି (IG) ଅଫିସରେ ମୁତୟନ ରହିବେ । ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ । ନିୟମ ଅନୁସାରେ ତାଙ୍କୁ କେବଳ ଖୋରାକି ଭତ୍ତା ପ୍ରଦାନ କରାଯିବ ।