Spread the love

ଭୁବନେଶ୍ୱର :  ଜୁନ୍‌ ମାସରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବାର ଦୁଇ ବର୍ଷ ପୂର୍ତ୍ତି ହେଉଛି। ଏହି ଅବସରରେ ଜୁନ୍‌ ୧୨ରୁ ୨୧ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବ। ତେବେ ଏହି କାର୍ଯ୍ୟକ୍ରମ ସମସ୍ତକୁ ନିରାଡମ୍ବର ଭାବେ ପାଳନ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖି ଉନ୍ନୟନ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇ ସଚେତନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରାମର୍ଶ ଦେଇଛନ୍ତି। ଆଜି ଏ ନେଇ ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଗାମୀ ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏଥିପାଇଁ ଜୁନ୍ ୧୨ରୁ ୨୧ ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର ସଫଳତାକୁ ସନ୍ନିବେଶିତ କରି ଶକ୍ତି ଓଡିଶା, ସମୃଦ୍ଧ କୃଷି ଓଡିଶା, ସୁସ୍ଥ ଓଡିଶା, ନିର୍ମାଣ ଓଡିଶା, ଉତ୍କର୍ଷ ଓଡିଶା, ଜନଶକ୍ତି ଓଡିଶା ଏବଂ କୌଶଳ ଓଡିଶା ଆଦି ଏହି ୭ଟି ଥିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଗୁଡିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ରହିବ। ବିଭାଗୀୟ ମନ୍ତ୍ରୀମାନେ ୨ ବର୍ଷ ମଧ୍ୟରେ ନିଜ ନିଜ ବିଭାଗରେ ହାସଲ ହୋଇଥିବା ସଫଳତା ବିଷୟରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଭାଗ ଗୁଡିକର ସଫଳତା ସମ୍ପର୍କିତ ଲିଫଲେଟ୍, ପୁସ୍ତିକା ପ୍ରକାଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ମାଧ୍ୟମରେ ରାଜ୍ୟର ସମୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଆମର ଯେଉଁ ଆଭିମୁଖ୍ୟ ରହିଛି, ତାହା ଲୋକଙ୍କ ପାଖରେ ପହଞ୍ଚାଇବାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *