Spread the love

ନୂଆଦିଲ୍ଲୀ: ଶତ୍ରୁ ଶିବିରରେ କମ୍ପନ ।  ଭାରତର ସଫଳ ‘ଅଗ୍ନି’ ପରୀକ୍ଷଣ ।  ଏବେ ଗୋଟିଏ ମିସାଇଲରେ ଧ୍ୱଂସ ହେବ ଶତ୍ରୁର ଅନେକ ସହର ।  ଭାରତର ସାମରିକ ଶକ୍ତିରେ ଆଉ ଏକ ଶକ୍ତିଶାଳୀ ଅସ୍ତ୍ର ଯୋଡ଼ି ହୋଇଛି ।  ଓଡ଼ିଶା ଉପକୂଳ ସ୍ଥିତ ଏପିଜେ ଅବଦୁଲ କାଲାମ ଦ୍ୱୀପରୁ DRDO ଅଗ୍ନି ସିରିଜର ଏକ ଅତ୍ୟାଧୁନିକ ମିସାଇଲର ସଫଳ ପରୀକ୍ଷଣ କରିଛି ।  ଏହି ମିସାଇଲଟି MIRV (Multiple Independently Targeted Re-entry Vehicle) ଟେକ୍ନୋଲୋଜିରେ ସଜ୍ଜିତ  ।

ଯାହା ଭାରତକୁ ବିଶ୍ୱର ମାତ୍ର କେତେକ ଶକ୍ତିଶାଳୀ ଦେଶଙ୍କ ତାଲିକାରେ ସାମିଲ କରିଛି ।  ସାଧାରଣତଃ ଗୋଟିଏ ମିସାଇଲ ଗୋଟିଏ ଲକ୍ଷ୍ୟଭେଦ କରିଥାଏ, କିନ୍ତୁ MIRV ଯୁକ୍ତ ଅଗ୍ନି ମିସାଇଲର ବିଶେଷତ୍ୱ ରହିଛି  ।  ଏହି ଗୋଟିଏ ମିସାଇଲ୍ ଆକାଶକୁ ଯିବା ପରେ ଏଥିରୁ ବାହାରୁଥିବା ଏକାଧିକ ପରମାଣୁ ଯୁଦ୍ଧାସ୍ତ୍ର ଶହ ଶହ କିଲୋମିଟର ଦୂରରେ ଥିବା ଅଲଗା ଅଲଗା ଶତ୍ରୁ ଶିବିରକୁ ଏକାସାଙ୍ଗରେ ଧ୍ୱଂସ କରିପାରିବ ।

ଏହି ମିସାଇଲକୁ ଅଟକାଇବା ଶତ୍ରୁର ଆଣ୍ଟି-ବାଲିଷ୍ଟିକ୍ ମିସାଇଲ୍ ସିଷ୍ଟମ୍ ପାଇଁ ପ୍ରାୟ ଅସମ୍ଭବ ।  କାରଣ ଏକାଧିକ ଯୁଦ୍ଧାସ୍ତ୍ର ଭିନ୍ନ ଭିନ୍ନ ଗତି ଓ ଦିଗରେ ଆସି ଶତ୍ରୁର ସୁରକ୍ଷା ବଳୟକୁ ଭେଦ କରିବାର କ୍ଷମତା ରଖନ୍ତି ।  ଭାରତ ମହାସାଗର ଅଞ୍ଚଳରେ ଥିବା ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟଗୁଡ଼ିକୁ ଏହି ମିସାଇଲ୍ ଅତି ସୂକ୍ଷ୍ମ ଭାବେ ଧ୍ୱଂସ କରିଛି ।  ପ୍ରତିରକ୍ଷା ବିଭାଗ ପକ୍ଷରୁ ପରୀକ୍ଷଣକୁ ସମ୍ପୂର୍ଣ୍ଣ ସଫଳ ବୋଲି କୁହାଯାଇଛି ।

ଗ୍ରାଉଣ୍ଡ ଷ୍ଟେସନ ଏବଂ ସମୁଦ୍ରରେ ଥିବା ରାଡାର ଜରିଆରେ ଏହାର ଗତିପଥ ଉପରେ ନଜର ରଖାଯାଇଥିଲା ।  ଏହି ସଫଳତା ସହ ଭାରତ ଏବେ ଆମେରିକା, ଋଷ, ଚୀନ୍ ଓ ଫ୍ରାନ୍ସ ଭଳି ଅତି ସୀମିତ ଦେଶଙ୍କ କ୍ଲବରେ ସାମିଲ ହୋଇଛି । ଯାହାଙ୍କ ପାଖରେ MIRV କ୍ଷମତା ସମ୍ପନ୍ନ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ ରହିଛି ।  ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *