ଭୁବନେଶ୍ୱର : ଜିଆରପି କନଷ୍ଟେବଲ୍ ସୌମ୍ୟ ହତ୍ୟା ଘଟଣାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହାରି ଭିତରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ। ସେ କହିଛନ୍ତି ଘଟଣାରେ ଯିଏ ଦୋଷୀ , ତାକୁ କଠୋର ଦଣ୍ଡ ଦିଆଯିବ। ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ। ରାଜ୍ୟରେ ଦଣ୍ଡବିଧାନ ହାର ବଢ଼ିଛି, ଦୈନିକ ରିପୋର୍ଟ ନିଆଯାଉଛି। ଆଗକୁ ଯେମିତି ଏଭଳି ଘଟଣା ନ ଘଟିବ, ସେଥିଲାଗି ସରକାର ତତ୍ପର ଅଛନ୍ତି। ସୈାମ୍ୟରଞ୍ଜନ ସ୍ବାଇଁଙ୍କ ହତ୍ୟାକାଣ୍ତ ଘଟଣାରେ ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଏମାନଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। -ପୂର୍ବରୁ ୫ ଜଣଙ୍କୁ ଗିରଫ କରି ଝାରପଡ଼ା ଜେଲ୍ ପଠାଇଛି ପୁଲିସ୍। ସେପଟେ ଏସବୁ ଭିତରେ ସୌମ୍ୟଙ୍କ ବାପା ମଧ୍ୟ ସଙ୍ଗୀନ୍ ଅଭିଯୋଗ ଆଣିଛନ୍ତି । କହିଛନ୍ତି ମୋ ପୁଅକୁ ୪୦ରୁ ୫୦ ଜଣ ପିଟି ପିଟି ମାରିଦେଲେ। କିନ୍ତୁ ଘଟଣାରେ କାହିଁକି ଏତେ କମ୍ ଲୋକଙ୍କୁ ଗିରଫ କରାଯାଇଛି। ଗୋରୁ ମଇଁଷି ଭଳି ପୁଅକୁ ଡାଲା ଅଟୋରେ ପକାଇ ନେଲେ। ଯେତେବେଳେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲା , ସେତେବେଳେ ତାକୁ କେହି ରକ୍ଷା କଲେନି। ଯେଉଁ ଝିଅମାନଙ୍କ ପାଇଁ ଏପରି କାଣ୍ଡ ହେଲା ସେମାନଙ୍କୁ ଗିରଫ କରାଯାଉ।