ବାଲେଶ୍ଵର: ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି । ୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ମୁକ୍ତ କରିବା ପାଇଁ ଜଣେ ବ୍ୟବସାୟୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ CGST ସୁପରିଟେଣ୍ଡଣ୍ଟ ଓମ ପ୍ରକାଶ ନାୟକଙ୍କୁ ସିବିଆଇ ରେଡ୍ ହ୍ୟାଣ୍ଡ ଧରିଛି । ଜଣେ ଅଭିଯୋଗକାରୀଙ୍କର ପ୍ରାୟ ୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ବାକି ରହିଥିଲା । ଏହି ଟଙ୍କା ମଞ୍ଜୁର କରିବା ପାଇଁ ସୁପରିଟେଣ୍ଡଣ୍ଟ ପ୍ରକାଶ ନାୟକ ଲାଞ୍ଚ ଦାବି କରିଥିଲେ । ତେବେ ଅଭିଯୋଗକାରୀ ଏ ସମ୍ପର୍କରେ ସିବିଆଇର ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇ ଏକ ସ୍ୱତନ୍ତ୍ର ଜାଲ ବିଛାଯାଇଥିଲା ।
ଯୋଜନାବଦ୍ଧ ଭାବେ ଅଭିଯୋଗକାରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ସିବିଆଇ ୨୭ ଜଣିଆ ଟିମ୍ ଚଢ଼ାଉ କରିଥିଲା । ଅଭିଯୁକ୍ତ ଅଧିକାରୀଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ କାର୍ଯ୍ୟାଳୟରେ କିଛି ସମୟ ପାଇଁ ହୋହାଲ୍ଲା ଖେଳିଯାଇଥିଲା । ସିବିଆଇ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ପ୍ରକାଶ ନାୟକଙ୍କ ବାସଭବନ ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉଛି । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ସିବିଆଇ ଅନୁସନ୍ଧାନ କରୁଛି । ବାଲେଶ୍ୱର ପରି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀରେ ଜଣେ ବରିଷ୍ଠ କେନ୍ଦ୍ରୀୟ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।