କଟକ: ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର । ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସମସ୍ତ ଉପ ପରିବହନ ଆୟୁକ୍ତ (ଡିସିଟି), ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏଆରଟିଓ)ଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପରିବହନ କମିସନର । ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିବା ବେଳେ ଆଭାସୀ ଜରିଆରେ ଆରଟିଓମାନେ ଉପସ୍ଥିତ ଥିଲେ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିଜ ନିଜ ଜିଲ୍ଲା ଅନୁଯାୟୀ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ବ୍ୟାପକ ଭାବରେ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପରିବହନ କମିସନର ଅମିତାଭ ଠାକୁର କହିଥିଲେ, ପ୍ରତିଦିନ ଯେଉଁଭଳି ସଡ଼କ ଦୁର୍ଘଟଣା ଘଟୁଛି, ଏହା ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି । ଏହାକୁ ହ୍ରାସ କରିବା ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସମସ୍ତ ଆରଟିଓଙ୍କୁ ଗ୍ରାଉଣ୍ଡ ଜିରୋରରେ ଏ ଦିଗରେ ବ୍ୟାପକ କାର୍ଯ୍ୟ କରିବାକୁ ହେବ । ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ମାନୁନାହାନ୍ତି । ମନଇଚ୍ଛା ଗାଡ଼ି ଚଲାଉଛନ୍ତି । ଆଉ ନିଜ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ନେଇଯାଉଛନ୍ତି । ଏହାକୁ ରୋକିବାକୁ ହେଲେ ଯୋଜନା ଭିତ୍ତିରେ ଏନଫୋର୍ସମେଣ୍ଟ କରିବାକୁ ହେବ ବୋଲି ଶ୍ରୀ ଠାକୁର କହିଛନ୍ତି ।
ବିଶେଷକରି, ମଦ୍ୟପାନ କରି ଗାଡ଼ି ଚଲାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ନେବା, ରାଜପଥରେ ଅବୈଧ ପାର୍କିଂ କରିବା, ମନଇଚ୍ଛା ଗାଡ଼ିର ଆକାରରେ ପରିବର୍ତ୍ତନ କରି ଭାରସାମ୍ୟ ହରାଇବା, ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର କରିବା ଭଳି ନିୟମ ଉଲ୍ଲଙ୍ଘନକୁ ରୋକିବାକୁ ହେବ । ଏହା ବ୍ୟତୀତ ପ୍ରତି ଜିଲ୍ଲାସ୍ତରରେ ସଡ଼କ ସୁରକ୍ଷା ପାଇଁ ଯେଉଁ ଯେଉଁ ଆହ୍ୱାନ ରହିଛି, ପ୍ରତି ବିଭାଗର ସମନ୍ୱୟ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଏହାର ସମାଧାନ କରିବାକୁ ହେବ ।