ଶନିବାର ପଞ୍ଜାବ ପୁଲିସ ରାଜ୍ୟସଭା ସାଂସଦ ସନ୍ଦୀପ ପାଠକଙ୍କ ବିରୁଦ୍ଧରେ ଜାମିନ ବିହୀନ ଅପରାଧ ପାଇଁ ଦୁଇଟି ଏଫଆଇଆର ଦାଖଲ କରିଛି। ଉଭୟ ଏଫଆଇଆର ପଞ୍ଜାବର ବିଭିନ୍ନ ଜିଲ୍ଲାରେ ଦାଖଲ କରାଯାଇଛି। ବିଜେପି ଏବଂ ଶିରୋମଣି ଅକାଳୀ ଦଳ (ଏସଏଡି) ଏଫଆଇଆର ଉପରେ ପ୍ରଶ୍ନ ଉଠାଇ ଏହାକୁ ପାଠକଙ୍କ ବିରୁଦ୍ଧରେ ରାଜନୈତିକ ପ୍ରତିଶୋଧ ବୋଲି କହିଛନ୍ତି। ପଞ୍ଜାବ ବିଜେପି କାର୍ଯ୍ୟକାରୀ ସଭାପତି ଅଶ୍ୱନୀ ଶର୍ମା ରାଜ୍ୟରେ ଆପ ସରକାର ବିରୋଧୀଙ୍କୁ ଚୁପ୍ କରିବା ପାଇଁ ପୋଲିସ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପଞ୍ଜାବକୁ “ପୁଲିସ ରାଜ୍ୟ”ରେ ପରିଣତ କରିବାର ଅଭିଯୋଗ କରିଛନ୍ତି।
ନୂଆଦିଲ୍ଲୀ: ଆଗାମୀ ମେ ୫ରେ ଆପ ଛାଡି ବିଜେପିରେ ମିଶିଥିବା ରାଜ୍ୟସଭା ସାଂସଦ ରାଘବ ଚଢ଼ା ରାଷ୍ଟ୍ରପତି ଦ୍ରୌପଡା ମୁର୍ମୁଙ୍କୁ ଭେଟିବା ନେଇ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ରାଜନୈତିକ ପ୍ରତିଶୋଧ ପାଇଁ ପଞ୍ଜାବ ସରକାର ସରକାରୀ କଳ ଅପବ୍ୟବହାର କରି ଆପ ଛାଡି ବିଜେପିରେ ମିଶିଥିବା ସାଂସଦମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ପର୍କରେ ତାଙ୍କୁ ଅବଗତ କରାଇବା ପାଇଁ ରାଷ୍ଟ୍ରପତି ସାଂସଦ ଶ୍ରୀ ଚଢାଙ୍କୁ ସମୟ ଦେଇଛନ୍ତି।
ସାଂସଦ ରାଘବ ଚଢା, ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଗତ ମାସରେ ଆପରୁ ଇସ୍ତଫା ଦେଇ ନେତୃତ୍ୱଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ପୂର୍ବତନ କ୍ରିକେଟର ତଥା ସାଂସଦ ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମଜିତ ସିଂହ ସାହାନି ଏବଂ ସ୍ୱାତୀ ମାଲିୱାଲ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ତେବେ ଏହି ସମୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ୫ ମେରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ପଞ୍ଜାବର ଜନସାଧାରଣଙ୍କ ଜନାଦେଶ ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁରକ୍ଷା ଦେବା ପାଇଁ ମାନ ଏହି ବୈଠକକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।