ଉତ୍ତରପ୍ରଦେଶ : ବୃନ୍ଦାବନରେ ଡଙ୍ଗା ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ସେ ସମବେଦନା ଜଣାଇବା ସହ ଆର୍ଥିକ ସହାୟତାର ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାରେ ଗତକାଲି ୧୦ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ନିଖୋଜ ଲୋକଙ୍କୁ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଃଖଦ ଘଟଣା ପାଇଁ ପୀଡିତଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ମିଳିବ ବୋଲି ସେ ଘୋଷଣା କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଦୁଃଖଦ ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ଏବଂ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ସେ ଅଧିକାରୀମାନଙ୍କୁ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ “ଲୁଧିଆନାରୁ ପ୍ରାୟ ୧୩୨ ଜଣ ଲୋକ ‘ଦର୍ଶନ’ ପାଇଁ ଏଠାକୁ ଆସିଥିଲେ ବୋଲି ମଥୁରାର ଡିଏମ୍ ସିପି ସିଂ ଏହି ଘଟଣା ବିଷୟରେ କହିଛନ୍ତି । ଦୁଇରୁ ତିନି ଜଣ ଲୋକ ମିଳିନାହାଁନ୍ତି ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଏଥିସହ ସେ ଆହୁରି କହିଛନ୍ତି ଯେ, ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମୃତଦେହକୁ ସରକାରୀ ଖର୍ଚ୍ଚରେ ସେମାନଙ୍କ ଘରକୁ ପଠାଯିବ ।