କଟକ : ଆଜି ସରିଲା ମାଟ୍ରିକ ଖାତା ଦେଖା । ନିର୍ଭୁଲ ମୂଲ୍ୟାୟନ ସହ ବିନା ଦ୍ୱନ୍ଦରେ ସରିଛି ଖାତା ଦେଖା । ଆଜି ସକାଳ ସୁଦ୍ଧା ୪ ଜିଲ୍ଲାର ଖାତା ଦେଖା ସରିଯାଇଛି। ବୋର୍ଡକୁ ଖାତା ଗୁଡ଼ିକ ଅଣାଯାଇଛି । ଆଜିଠାରୁ ରେଜଲ୍ଟ ବାହାରିବା ଭିତରେ ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ଆଉ ଏକ ମାସ ସମୟ ଲାଗିବ । ମେ ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହର ଆରମ୍ଭରେ ବାହାରିବ ମାଟ୍ରିକ ଫଳ । ରେଜଲ୍ଟ ବାହାରିବା ପରେ ସଙ୍ଗେ ସଙ୍ଗେ ମିଳିବ ସାର୍ଟିଫିକେଟ । ଯେଉଁମାନଙ୍କ ପେପର ଖରାପ ଥିବ ସେମାନେ ଏକ ମାସ ମଧ୍ୟରେ ସପ୍ଲିମେଣ୍ଟାରି ପରୀକ୍ଷା ଦେଇ ଆଉ ଏକ ମାସ ମଧ୍ୟରେ ରେଜଲ୍ଟ ପାରିବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।
ମାଟ୍ରିକ୍, ଏସ୍ଓଏସ୍ସି ଓ ମଧ୍ୟମା ପରୀକ୍ଷା ମିଶି ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷ ୪୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସକାଳ ୯ଟାରୁ ଆରମ୍ଭ ହୋଇଥିଲା ପରୀକ୍ଷା । ପରୀକ୍ଷାକୁ ଶୃଙ୍ଖଳିତ ଭାବେ ସାରିବା ବଡ଼ ଆହ୍ବାନ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରଯାଇଥିଲା । ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଥିଲା । କଣ୍ଟ୍ରୋଲ୍ ରୁମ୍ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯାଇଥିଲା । ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ୧୦୦ ନମ୍ବର ବିଶିଷ୍ଟ ପରୀକ୍ଷାରୁ ୫୦ ନମ୍ବର ବିଶିଷ୍ଟ ଅବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଓଏମ୍ଆର ସିଟ୍ରେ ଥିବାରୁ ତାହା ମୂଲ୍ୟାୟନ ଶେଷ ହୋଇସାରିଛି । ସବ୍ଜେକ୍ଟିଭ୍ ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ମାର୍ଚ୍ଚ ୧୯ରୁ ଆରମ୍ଭ ହୋଇଥିଲା ।