ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍)କୁ ନେଇ ରାଜ୍ୟ ସରକାର ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉ ନାହିଁ। ନ୍ୟାୟିକ ଅଧିକାରୀଙ୍କ ତାଲିମ ମଡ୍ୟୁଲ୍ ଉପରେ ଆପତ୍ତି ଗ୍ରହଣ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମୁଖରେ ପଶ୍ଚିମବଙ୍ଗ ପାଇଁ ବରିଷ୍ଠ ଓକିଲ କପିଲ ସିବଲ ପକ୍ଷ ରଖିଥିଲେ। ସିବଲ କହିଥିଲେ, ଏସ୍ଆଇଆର୍ ନେଇ ସମସ୍ତ କାର୍ଯ୍ୟପନ୍ଥା କୋଲକାତା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏବଂ କମିଟି ଦ୍ୱାରା ସମାଧାନ କରାଯିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।