Spread the love

କିଏଭ୍‌: ଯୁଦ୍ଧ ବିରତି ପ୍ରସଙ୍ଗରେ ଆଲୋଚନା କରିବାକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ତରଫରୁ ଯେଉଁ ଆମନ୍ତ୍ରଣ କରାଯାଇଥିଲା, ତାହାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି। ଗୁରୁବାର ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଜେଲେନ୍‌ସ୍କି କହିଛନ୍ତି ଯେ ଆଲୋଚନା ପାଇଁ ମସ୍କୋ ଗଲେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଯୁଦ୍ଧ ବନ୍ଦ ପ୍ରସଙ୍ଗରେ ପୁଟିନ କିମ୍ବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି, ତେବେ ଏହି ଆଲୋଚନା ରୁଷ୍‌ ବ୍ୟତୀତ ଅନ୍ୟ ଯେକୌଣସି ରାଷ୍ଟ୍ରରେ ଆୟୋଜନ କରାଯିବାକୁ ଜେଲେନ୍‌ସ୍କି ସର୍ତ୍ତ ରଖିଛନ୍ତି। ଅପରପକ୍ଷରେ ଶାନ୍ତିି ଆଲୋଚନା ପାଇଁ ପୁଟିନ ୟୁକ୍ରେନ ଆସନ୍ତୁ ବୋଲି ଜେଲେନ୍‌ସ୍କି ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ଜେଲେନ୍‌ସ୍କି ଆହୁରି କହିଛନ୍ତି ଯେ ରୁଷ୍‌ ଯେ ପର୍ଯ୍ୟନ୍ତ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ ନ କରିଛି, ସେ ପର୍ଯ୍ୟନ୍ତ ୟୁକ୍ରେନ ପ୍ରତିଆକ୍ରମଣ ଜାରି ରଖିବ। ବର୍ତ୍ତମାନ ରୁଷ-ୟୁକ୍ରେନ ସୀମାରେ ପ୍ରବଳ ତୁଷାରପାତ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ୟୁକ୍ରେନ ବିରୋଧୀ ଯୁଦ୍ଧକୁ ଅତି କମରେ ଏକ ସପ୍ତାହ ସ୍ଥଗିତ ରଖିବାକୁ ପୁଟିନ ରାଜି ଥିବା ଟ୍ରମ୍ପଙ୍କ ସୂତ୍ରରୁ ଜଣାପଡିଛି।

ତେବେ ସପ୍ତାହବ୍ୟାପୀ ଅସ୍ତ୍ରବିରତି ସମ୍ପର୍କରେ ରୁଷ୍‌ ତରଫରୁ କୌଣସି ସୂଚନା ମିଳିନଥିବା ଜେଲେନ୍‌ସ୍କି କହିଛନ୍ତି। ରୁଷ୍‌-ୟୁକ୍ରେନରେ ତାପମାତ୍ରା ବର୍ତ୍ତମାନ ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସ ରହିଛି। ରୁଷ୍‌ ଆକ୍ରମଣରେ ୟୁକ୍ରେନର ବିଦ୍ୟୁତ୍‌ ଗ୍ରିଡ୍‌ଗୁଡିକ ନଷ୍ଟ ହୋଇଥିବାରୁ ରାଜଧାନୀ କିଏଭ୍‌ ସମେତ ଏକାଧିକ ସହରରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇପଡିଛି। ରୁମ୍‌ ହିଟର କାର୍ଯ୍ୟ କରୁନଥିବାରୁ ପ୍ରବଳ ଥଣ୍ଡାରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ୟୁକ୍ରେନ ଯଦି ଡୋନେସ୍କ୍‌ ଅଞ୍ଚଳ ରୁଷ୍‌କୁ ହସ୍ତାନ୍ତର କରେ, ତେବେ ଶାନ୍ତି ଆଲୋଚନା ଆଗକୁ ବଢିବ ବୋଲି ପୁଟିନ କହିଛନ୍ତି। ତେ​‌େ​‌ବ ୟୁକ୍ରେନ ତାହାର ଗୋଟିଏ ଇଞ୍ଚ ଜମି ରୁଷ୍‌କୁ ହସ୍ତାନ୍ତର କରିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି।

Leave a Reply

Your email address will not be published. Required fields are marked *